ପି.ପି. ଏକାଡେମୀ, ବଲାଙ୍ଗୀରଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ୍ ସ୍ଥିତ ପିଏମ୍ ଶ୍ରୀ ପିଜିଏଚ୍‌ଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ପୁରସ୍କାର ଅର୍ଜନ କରିଛନ୍ତି। ଏହି ସଫଳତା ପରେ ସେମାନେ ଆଗାମୀ ଜୋନ୍ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି, ଯାହାକି ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ବିଦ୍ୟାଳୟର ସାତ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ— ସ୍ତେଫନ୍ ତାଣ୍ଡି (ନବମ ଶ୍ରେଣୀ), ମନିକା ଲୁହା (ଦଶମ ଶ୍ରେଣୀ), ସନ୍ତୋଷିନୀ ସିକା (ନବମ ଶ୍ରେଣୀ), ପ୍ରିୟଙ୍କା ମୁଗ୍ରୀ (ନବମ ଶ୍ରେଣୀ), ରୋହିତ ରଣା (ନବମ ଶ୍ରେଣୀ), ମାନସ ଚକ୍ର (ନବମ ଶ୍ରେଣୀ) ଏବଂ ଖୀରସିନ୍ଧୁ ବାଗର୍ତ୍ତୀ (ନବମ ଶ୍ରେଣୀ)।
ଛାତ୍ରଛାତ୍ରୀମାନଙ୍କ ଏହି ଗୌରବଜନକ ସଫଳତା ପଛରେ ଗାଇଡ୍ ଶିକ୍ଷକ ନିକିତା ମିଶ୍ର ଏବଂ ସୌମ୍ୟ ରଞ୍ଜନ ନାଏକଙ୍କର ଅକ୍ଳାନ୍ତ ପରିଶ୍ରମ ଓ ମାର୍ଗଦର୍ଶନ ରହିଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନଜନିନ୍ ବେଗମ୍ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ବୌଦ୍ଧ ଜୋନ୍ ସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ବିଦ୍ୟାଳୟର ଏହି ବିଜ୍ଞାନ ନାଟକ ସଫଳତାରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଖୋଲାନ୍ ଗ୍ରାମପଞ୍ଚାୟତର ସରପଞ୍ଚ ନରେଶ ଅଗ୍ରୱାଲ ବିଦ୍ୟାଳୟର ଏହି ଗୌରବଜନକ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଏବଂ ପ୍ରଧାନଶିକ୍ଷୟତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଜୋନ୍ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେମାନେ ଏହିପରି ସଫଳତା ହାସଲ କରି ଜିଲ୍ଲା ଓ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।