ପଦ୍ମପୁର, ୮/୧୦ (ଡ଼ିଲେଶ୍ଵର ବାଗ): ବରଗଡ଼ ଜିଲ୍ଲା ବନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଇଂରାଜୀ ବିତର୍କ ପ୍ରତିଯୋଗିତାରେ ବାଜି ମାରିଲେ ପଦ୍ମପୁରର ଆରାଧ୍ୟା ଦୋରା।ଜେନିଥ ଲାଏନ୍ସ ଗୁରୁକୁଳର ଅଷ୍ଟମ ଶ୍ରେଣୀର ଏହି ଛାତ୍ରୀ ତାଙ୍କ ସୁନ୍ଦର ବକ୍ତୃତା ପାଇଁ ଜିଲ୍ଲାର ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଲେ। ବିଜୁ ପଟ୍ଟନାୟକ ଟାଉନ୍ ହଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିଷୟ ଥିଲା “Connecting Habitats, Thriving Wildlife”।ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀକୁ କିପରି ସୁରକ୍ଷିତ ରଖିବା, ଜଙ୍ଗଲକୁ କିପରି ବଞ୍ଚାଇବା – ଏସବୁ କଥା ଆରାଧ୍ୟା ଏତେ ସୁନ୍ଦର ଭାବରେ କହିଲେ ଯେ ବିଚାରକମଣ୍ଡଳୀ ତାଙ୍କୁ ପ୍ରଥମ ସ୍ଥାନ ପାଇଁ ବାଛିନେଲେ। ଆରାଧ୍ୟା ତାଙ୍କ ପିତା ଶ୍ରୀ ଦେବେଶ କୁମାର ଦୋରା ଓ ମାତା ଶ୍ରୀମତୀ ସରିତା ଦୋରାଙ୍କ ଏକମାତ୍ର କନ୍ୟା। ମାତା ସରିତା ଜେନିଥ ଲାଏନ୍ସ ଗୁରୁକୁଳରେ IT ଶିକ୍ଷୟିତ୍ରୀ (PGT) ଭାବେ କାର୍ଯ୍ୟରତ। ଝିଅର ସଫଳତାରେ ଦୁହେଁ ଅତ୍ୟନ୍ତ ଗର୍ବିତ।
ବିଦ୍ୟାଳୟ ର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା କହିଛନ୍ତି, “ଆରାଧ୍ୟା ଆମ ବିଦ୍ୟାଳୟର ଗର୍ବ। ତାଙ୍କର ଏହି ବିଜୟ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବ।” ପଦ୍ମପୁର ଅଞ୍ଚଳରେ ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଅଭିନନ୍ଦନର ସୁଅ ଛୁଟିଛି। ଆରାଧ୍ୟାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ସମସ୍ତେ କାମନା କରିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଆରାଧ୍ୟାଙ୍କ ଏହି ବିଜୟ ପାଇଁ ସମସ୍ତ ବନବିଭାଗ କର୍ମଚାରୀ ଓ ବିଶେଷ କରି ପଦ୍ମପୁର ରେଞ୍ଜ ଅଫିସର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଓ ଫରେଷ୍ଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦୋରାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।