ପାଟଣା:ପାଟଣା ବନାଞ୍ଚଳ ଅନ୍ତର୍ଗତ କେନ୍ଦେଇପଶି ନିକଟରେ ୨୫ ଟିକିଆ ହାତୀପଲ ଆଜି ସକାଳୁ ଡେରା ପକାଇଥିଲେ। ଏହି ହାତୀ ପଲଙ୍କୁ ଚିଡ଼େଇବା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଟିଏ ହାତୀ ଶୁଣ୍ଢରେ ଟେକି ଏକ ବିଲ୍ ଭିତରକୁ ଫିଙ୍ଗି ଦେଇଥିଲେ । ବ୍ୟକ୍ତି ଜଣକ ସେଠାରୁ ଉଠି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପାଟଣା ବନବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଠାବ କରିବାକୁ ଡ୍ରୋନର ସାହାଯ୍ୟ ନେଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ। ଏହି ହାତୀ ପଲ ଗତରାତି ସିଲିଦା,ଖୁଣ୍ଟାପଡା,କାଶୀପୁର, କେନ୍ଦେ଼ଇପଶି ଏବଂ ଚାକୁଣ୍ଡାପାଳ ଇଲାକା ରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି । ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ,ବନପାଳ ନିରଞ୍ଜନ ସେଠୀ ପ୍ରମୁଖ ହାତୀପଲ ଙ୍କ ଉପରେ ନଜର ରଖିଛନ୍ତି।
