ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜାହାଙ୍ଗୀର ଭୋଇସାହି ଗ୍ରାମରେ ବନ୍ୟା ପାଣିରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ଗ୍ରାମର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣାରାଣୀ ଜେନା (୨୦)।ପ୍ରକାଶ ଯେ, କ୍ରିଷ୍ଣାରାଣୀ ରବିବାର ସକାଳେ ଶୌଚ ପାଇଁ ଗେଙ୍ଗୁଟି ନଦୀ ନିକଟକୁ ଯାଇଥିଲେ। ଫେରିବା ବାଟରେ ବନ୍ୟାଜଳର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ। ଖବର ପାଇ ପରିବାର ଲୋକ ଓ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିଛି ଘଣ୍ଟା ପରେ ଯନ୍ତାଖାଇ ମାହାରା ନିକଟରେ ତାଙ୍କ ମୃତଦେହ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।ଧାମନଗର ଅଞ୍ଚଳରେ ଦୁଇଦିନ ଧରି ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ଗେଙ୍ଗୁଟି ନଦୀରେ ପ୍ରଖର ସ୍ରୋତ ରହିଛି। ଏହି ଅଘଟଣ ପରେ ଜାହାଙ୍ଗୀର ଭୋଇସାହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।