ବାଲୁଗାଁ ୫l୧୧,ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ -୨୦୨୬ ଅବସରରେ ଚିଲିକା ବ୍ଲକ ଯୁବୋତ୍ସବ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ୧୫ ରୁ ୨୯ ବର୍ଷ ବୟସର ଯୁବ ପିଢିଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱର ପରିସ୍ପୁଟନ ନିମିତ୍ତ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି l ଏଥିପାଇଁ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ନିଶାମୁକ୍ତ ଯୁବ ଭାରତ ଶୀର୍ଷକକୁ ନେଇ ଦଳଗତ ଲୋକ ନୃତ୍ୟ, ଦଳଗତ ଲୋକ ସଂଗୀତ, ନାଟକ, କବିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଚିଲିକା ବ୍ଲକ ଯୁବୋତ୍ସବ ଅଧୀନରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଚିଲିକା ବ୍ଲକ ସହକାରୀ ଶିକ୍ଷାଧିକାରୀ ଗଗନ ବିହାରୀ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଯୁବୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଲୋକ ନାଟକରେ ବିଶିଷ୍ଟ ନାଟ୍ୟକାର ଭିକାରି ଚରଣ ପ୍ରଧାନ ଓ ନାଟ୍ୟ ଅଭିନେତା ପ୍ରହଲ୍ଲାଦ ବେହେରା, ଲୋକ ନୃତ୍ୟ ବିଭାଗରେ ନୃତ୍ୟ ପ୍ରଶିକ୍ଷକ ଗୋବିନ୍ଦ ଜାଲି ଓ ନୃତ୍ୟ ଗୁରୁ ମମତା ମିଶ୍ର, ଲୋକ ସଂଗୀତ ବିଭାଗରେ ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ କୁମାର ପ୍ରଧାନ ଓ ଗୁରୁ ବିଷ୍ନୁପ୍ରିୟା ବାରିକ, କବିତାରେ କବି ଗୋପୀନାଥ ଦାଶ ଓ କବି ଶିଶିର ଦାସ, ଚିତ୍ରାଙ୍କନରେ ବିଶିଷ୍ଟ ଚିତ୍ର ଶିଳ୍ପୀ ପୂର୍ଣ୍ଣ ଚନ୍ଦ୍ର ଜେନା ଓ ସୁରେନ୍ଦ୍ର ନାଥ ଗୌଡ଼ ବିଚାରକ ଭାବେ ଯୋଗ ଦେଇଥିଲେ l ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ମଣ୍ଡଳ ଉନ୍ନୟନ ଅଧିକାରୀ ପୁନମ ମହାପାତ୍ର, ଚିଲିକା ବ୍ଲକ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା ଓ କଲେଜ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଛାତ୍ର ସଂସଦ ସଭାପତି ପୂଜା ଦିହୁଡ଼ି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଅଧ୍ୟାପିକା ରୀନା ରାଉତ ଓ ଡକ୍ଟର ମନସ୍ବିନୀ ପଟ୍ଟନାୟକ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା କୀର୍ତ୍ତି ମୟୀ ବାରିକ, ବିଶ୍ଵବିଜୟୀ ଦାଶ, ଧୋବୀ ଚରଣ ପରିଡା, ହିମାଂଶୁ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଧାପକ ଶିଶିର କୁମାର ପଟ୍ଟନାୟକ l
