ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତାର ଏକ ଧାନ ବିଲରୁ ମୁଣ୍ଡବିହୀନ ଅଜଣା ମୃତଦେହ ଠାବ ହୋଇଛି। ମୃତଦେହରେ ଏକାଧିକ କଟା ଦାଗ ରହିଥିବା ବେଳେ ମୁଣ୍ଡ ବିହୀନ ଶବ ପଡ଼ିଛି। ଏଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୁଲିସର ସନ୍ଧାନୀ କୁକୁର, ବିଶେଷଜ୍ଞ ଦଳ ଏପରିକି ଡ୍ରୋନ କ୍ୟାମେରାକୁ ନିୟୋଜିତ କରାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଅପରାହ୍ନରେ ଲଡ଼ୁଗାଁ ବନ୍ଧପଡ଼ାର ଜଣେ ଚାଷୀ ନିଜ ଚାଷ ଜମିକୁ ଯାଇଥିବା ବେଳେ ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଅଞ୍ଚଳରେ ଖବର ପ୍ରସାରିତ ହେବା ପରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହରେ ଏକାଧିକ କଟା ଦାଗ ଥିବା ସହ ମୁଣ୍ଡ କଟାଯାଇଥିବା ଜଣାପଡ଼ିଛି। ସନ୍ଧ୍ୟା ହୋଇଯିବାରୁ ତଦନ୍ତ ବନ୍ଦ ଥିଲା। ଆଜି ସକାଳେ ମୃତଦେହ ଉଦ୍ଧାର କରାଯିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ କରାଯାଉଛି। ସନ୍ଧାନୀ କୁକୁର, ବିଶେଷଜ୍ଞ ଦଳ ଏବଂ ଡ୍ରୋନକୁ ତଦନ୍ତ କର୍ଯ୍ୟରେ ନିୟୋଜିତ କରାଯାଇଛି। କିନ୍ତୁ କିଛି ଫଳ ମିଳିନାହିଁ। ମୃତ ବ୍ୟକ୍ତିଙ୍କ ପରିଚୟ, ମୃତ୍ୟୁର କାରଣ, ମୃତଦେହ ସେଠାକୁ କିପରି ଆସିଲା, ମୁଣ୍ଡ କୁଆଡେ ଗଲା ସେସବୁ ପ୍ରଶ୍ନର ଉତ୍ତର ଅସ୍ପଷ୍ଟ ରହିଛି। କୋକସରା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
