ବାଲେଶ୍ୱର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲିଆପାଳ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ର। ଜମି ରେଜିଷ୍ଟ୍ରି କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗର ୧୧ ଜଣିଆ ଟିମ୍‌ ତାଙ୍କୁ ଧରିଛି। ଏହି ଚଢ଼ଉ ସମୟରେ ଲାଞ୍ଚ ଟଙ୍କା ଜବତ କରାଯାଇଛି।ସୂଚନା ଅନୁଯାୟୀ, ମନୀଷା ମିଶ୍ର ଗତ ୮ ମାସ ହେବ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ସେ ବିଭିନ୍ନ ସମୟରେ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ଅଭିଯୋଗ ମୁତାବକ, ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜମି ରେଜିଷ୍ଟ୍ରି କରାଇବା ପାଇଁ ମନୀଷା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୭ ହଜାର ଟଙ୍କାରେ ଡିଲ୍‌ ଚୂଡ଼ାନ୍ତ ହୋଇଥିଲା। ଏନେଇ ଜ୍ଞାନ ରଞ୍ଜନ ବାରିପଦା ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ।ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଜ୍ଞାନ ରଞ୍ଜନ ୭ ହଜାର ଟଙ୍କା ନେଇ ସବ୍‌-ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ସେ ଟଙ୍କା ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସର ୧୧ ଜଣିଆ ଟିମ୍‌ ଚଢ଼ଉ କରି ମନୀଷା ମିଶ୍ରଙ୍କୁ ଧରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।