ମୁରିବାହାଲ: ମୁରିବାହାଲ ବ୍ଲକରେ ଥିବା ବିଭିନ୍ନ ମାହେଶ୍ୱରୀ ମନ୍ଦିର/ପୀଠ/ଗୁଡ଼ି/ଡାଳତଳ ଗୁଡ଼ିକରେ ଦଶହରା ପାର୍ବଣ ପାଇଁ ଚାଲିଥିବା ମାଁ ମାହେଶ୍ୱରୀଙ୍କ ଷୋଳ ଦିନାତ୍ମକ ଖଣ୍ଡାବସା ପୂଜାରେ ଶନିବାର ମହାଳୟା ଅମାବାସ୍ୟା ତଥା ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ ହୋଇଯାଇଛି।
ବ୍ଲକର ସମସ୍ତ ମାହେଶ୍ୱରୀ ପୀଠଗୁଡ଼ିକରେ ଡୁମାଳ ସମାଜର ଇଷ୍ଟ ତଥା କୁଳଦେବୀ ମାଁ ମାହେଶ୍ୱରୀଙ୍କ ପୂଜାପାର୍ବଣ ଅତି ଶୃଙ୍ଖଳାର ସହିତ ପାଳନ କରାଯାଉଛି। ଏହି ଦଶହରା ପାର୍ବଣ ହେଉଛି ଶାନ୍ତି, ମୈତ୍ରୀ ଓ ଭାଇଚାରାର ପର୍ବ, ତା ସହିତ ଜାତିର ସଂସ୍କୃତି, ପରମ୍ପରା, ଗର୍ବ ଓ ଗୌରବର ପ୍ରତୀକ ଅଟେ।
ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ସର୍ବପୁରାତନ ମାହେଶ୍ୱରୀ ମନ୍ଦିର (ଗୁଡ଼ି)ରେ ବିଭିନ୍ନ ରୀତିନୀତି ଅନୁସାରେ ମୂଳାଷ୍ଟମୀ ଦିନଠାରୁ ଷୋହଳ ଦିନ ଧରି ମାଁଙ୍କ ପୂଜାର୍ଚ୍ଚନା କରାଯାଉଛି। ସେଦିନ ମାଁଙ୍କ ଛତର, ବାଡ଼ି, ଶାଳକା ଆଦି ଗ୍ରାମରେ ଥିବା ପୋଖରୀରେ ସ୍ନାନ ପରେ ଗ୍ରାମର ଅନ୍ୟ ଦେବାଦେବୀ ପୀଠରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା।
ଯମୁନା ମାହେଶ୍ୱରୀ ମନ୍ଦିରରେ ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହୁରୀ ଭାବେ ଶିବାନନ୍ଦ ମହାକୁର, ପ୍ରକାଶାନନ୍ଦ ମହାକୁର, ନୂଆ ବରୁଆ କୃଷ୍ଣଚନ୍ଦ୍ର ପାତ୍ର, ଜୟରାମ ଥନାପତି, ଚରଣ ମହାକୁର, ନିତ୍ୟାନନ୍ଦ ମହାକୁର, ଡଗର ମହାକୁର, ଚୈତନ୍ୟ ଛନ୍ଦ, ଦେବେନ୍ଦ୍ର ପ୍ରଧାନ, ଭିକାରୀ ପାତ୍ର, ଲୋଚନ ମହାକୁର, ମଧୁସୂଦନ କର୍ମୀ, ଉଦ୍ରାଧର ମହାକୁର, ଜେହେରୁ ମହାକୁର, ଦିଲ୍ଲୀପ କର୍ଣ୍ଣ, ସୁରକାର ଚାଉଳିଆ, ନଟବର ମେର୍ଲି, ଗାନ୍ଧୀଲାଲ ମହାକୁର, ଗୌତମ ଡାଙ୍ଗ, ସୁରେଶ ପ୍ରଧାନ, ମକାରୁ ମହାକୁର, ସଚ୍ଚିଦାନନ୍ଦ ମହାକୁର, ଭବାନାନନ୍ଦ ମହାକୁର ଓ ଲୋକେଶ ମହାକୁରଙ୍କ ସହ ଯମୁନା ଓ ଡଙ୍ଗରପଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।
ସେହିପରି ବ୍ଲକର ମୁରିବାହାଲ ସଦର ମହକୁମା, ଖରାଲି, ଜାନିପଡା, ବାରବନ୍ଧ, ବାଗବାହାଲି, ଚଣାବାହାଲ, ଦନ୍ଦରା, କୁମ୍ଭାରୀ ଆଦି ଗ୍ରାମରେ ଥିବା ମାହେଶ୍ୱରୀ ମନ୍ଦିର/ପୀଠ/ଗୁଡ଼ି/ଡାଳତଳ ଗୁଡ଼ିକରେ ମଧ୍ୟ ଚଳିତ ବର୍ଷର ଦଶହରା ମହୋତ୍ସବ ଉପଲକ୍ଷେ ମହାଳୟା ଅମାବାସ୍ୟା ତଥା ଖଣ୍ଡା ଲେଉଟା ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
