ଯାଜପୁର:ଯାଜପୁର ଜିଲ୍ଲାରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଜିଲ୍ଲାର ଦଶରଥପୁର, ଯାଜପୁର, ବିଂଝାରପୁର ଓ କୋରେଇ ବ୍ଲକ୍ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ସହ ଶାଖା ନଦୀ କାଣୀରେ ପ୍ରାୟ ୭୦ ଫୁଟ୍ର ଘାଇ ସୃଷ୍ଟି ହେବା ପରେ ବନ୍ୟା ପାଣି ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରିଛି।ଦଶରଥପୁର ବ୍ଲକ୍ର ପ୍ରାୟ ୧୦ଟି ପଞ୍ଚାୟତରେ ବୈତରଣୀର ବନ୍ୟାଜଳ ପଶିଛି। ତରପଦା ଓ କସବା ପଞ୍ଚାୟତର ମୁଖ୍ୟ ବଜାର ମଧ୍ୟ ପାଣିରେ ବୁଡ଼ିଯାଇଛି। ବଜାରରେ ଥିବା ୧୦୦ରୁ ଅଧିକ ଦୋକାନ ଭିତରେ ବନ୍ୟା ପାଣି ପଶିଯିବାରୁ ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି।
ସେହିପରି ଯାଜପୁର ବ୍ଲକ୍ର ପଳସା, ଜାଫରପୁର, ସିମିଳିଆ ଓ ବେରୁଦା ପଞ୍ଚାୟତରେ ମଧ୍ୟ ବନ୍ୟା ପାଣି ପଶିଛି। ଏହି ଅଞ୍ଚଳର ଲୋକେ ପାଣି ଘେରରେ ରହିଥିବା ଜଣାପଡ଼ିଛି।ବିଂଝାରପୁର ବ୍ଲକ୍ର ଫଳପୁର, ଆଉଁରି, ଜରି ଓ ସିଙ୍ଗପୁର ପଞ୍ଚାୟତରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ନିକଟରେ ମରାମତି ହୋଇଥିବା ନୂଆମାହାରା ନଦୀବନ୍ଧ ମଧ୍ୟ ପୁଣିଥରେ ପାଣିରେ ବୁଡ଼ିଯାଇଛି।ଏପଟେ କୋରେଇ ବ୍ଲକ୍ ମଧ୍ୟ ବନ୍ୟାରେ ଆଂଶିକ ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିରହିଛି। ଫଳରେ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି।
