ପାରଳାଖେମୁଣ୍ଡି : :-ଗଜପତି ଜିଲ୍ଲାରେ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ଭେ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶିକ୍ଷକମାନଙ୍କର ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ସମସ୍ତ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବୁଥ୍‌ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭୋଟର ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ପରିଚାଳନା କରିବା ସହ ଏକ ସ୍ୱଚ୍ଛ, ନିର୍ଭୁଲ ଓ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ କରିବା, ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ଏବଂ ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବା ଦିଗରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ଏହି ପ୍ରଶିକ୍ଷଣ ମାଧ୍ୟମରେ ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହ ଘର ଘର ବୁଲି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା।