କଟକ: କଟକ ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ମିଳନୀ କକ୍ଷରେ କଟକ ବାର୍ ଆସୋସିଏସନ୍ ଓ କ୍ଲାପର ମିଳିତ ଆନୁକୂଲ୍ୟରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଉପରେ ସଚେତନତା ମୂଳକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗରିବ ଅବହେଳିତଙ୍କ ପାଇଁ ସମାନ ନ୍ୟାୟ ପାଇଁ ନୂତନ ଫୌଜଦାରୀ ଆଇନଗୁଡ଼ିକୁ ବ୍ୟବହାର କରିବା ସମ୍ବନ୍ଧରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।୨୦୨୩ ମସିହାରେ ପରିବର୍ତ୍ତନ ହୋଇଥିବା ନ୍ୟାୟ ବ୍ୟବସ୍ଥାରେ କିପରି ଦଳିତ, ଆଦିବାସୀ, ମହିଳା, ଦିବ୍ୟାଙ୍ଗ ଓ ଅବହେଳିତ ଗରିବ ଲୋକମାନେ ସୁବିଧାରେ ନ୍ୟାୟ ପାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ବାର୍ ଆସୋସିଏସନ୍ ର ସମ୍ପାଦକ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ମହିଳା କମିଶନର ପୂର୍ବତନ ସଦସ୍ୟା ଆଇନଜୀବୀ ସ୍ନିଗ୍ଧା ପାଣିଗ୍ରାହୀ ମୁଖ୍ୟ ବିବରଣୀ ପାଠ କରିଥିବାବେଳେ କ୍ଲାପର ସଭାପତି ଡକ୍ଟର ବିକାଶ ଦାସ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଡକ୍ଟର ଶ୍ରୀଯୁକ୍ତ ଡି ପି ଚୌଧୁରୀ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସୁରକ୍ଷା, ଭାରତୀୟ ସମାଜିକ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବରିଷ୍ଟ ଆଇନଜୀବୀ ଶ୍ରୀ ମାନସ ରଞ୍ଜନ ମହାପାତ୍ର ନୂତନ ଆଇନ ବିଷୟରେ ଅବଗତ କରାଇବା ସହିତ କୃତ୍ରିମ ବୁଦ୍ଧିମତ୍ତା ବିଷୟରେ ମଧ୍ୟ ଟିପ୍ପଣୀ ଦେଇଥିଲେ। ବିଶିଷ୍ଟ ବକ୍ତା ଭାବରେ ଜାତୀୟ ଆଇନ ପ୍ରତିଷ୍ଠାନର ପ୍ରଫେସର ଶ୍ରୀନିବାସ ନାୟକ ନୂତନ ଆଇନ ବିଷୟରେ ବର୍ଣ୍ଣନା କରିଥିଲେ। କଟକ ବାର ଆସୋସିଏସନର ସଭାପତି ଆଇନଜୀବୀ ଗୋବର୍ଦ୍ଧନ ସ୍ୱାଇଁ ସଭାପତିତ୍ୱ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ସାହୁ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ କଟକ ବାର ଆସୋସିଏସନର ଉପ ସଭାପତି ଆଇନଜୀବୀ ଶ୍ରୀ ଅନାଦି ଚରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)