ପୁରୀ: ପୁରୀ ନବକଳେବର ରୋଡ୍‌ ସଂଲଗ୍ନ ମଧୁବନ ଦ୍ୱିତୀୟ ଗଳିସ୍ଥିତ ବିନାୟକ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଗୁରୁଦିବସ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥ, ବିଘ୍ନବିନାଶକ ବିନାୟକ ଏବଂ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପାଦପଦ୍ମରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ବିଦ୍ୟାଳୟର ସଭାପତି ଲକ୍ଷ୍ମୀ ପ୍ରସାଦ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୁନି କୁନି ଶିଶୁମାନେ ଗୁରୁବନ୍ଦନା ଗାନ କରିଥିଲେ। ଚନ୍ଦନ, ସିନ୍ଦୁର, ପୁଷ୍ପ, ଧୂପ ଓ ଦୀପ ଅର୍ପଣ କରି ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାଙ୍କୁ ଗୁରୁପୂଜନ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ଉପଢୌକନ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଅର୍ତ୍ତତ୍ରାଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁପ୍ରସାଦ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଗୁରୁଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଦ୍ୱାରା ଶିଷ୍ୟର ଜୀବନରେ ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଦ୍ୟାର୍ଥୀମାନେ ମଧ୍ୟ ଗୁରୁଦିବସ ସମ୍ପର୍କରେ ନିଜର ମତାମତ ରଖିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମାନିନୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଲିଭା ପୃଷ୍ଟି ମାନପତ୍ର ପାଠ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ବହୁ ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଭିଭାବିକାଙ୍କ ଯୋଗଦାନରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।(ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ)