କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଆଜି ଧାରଣା ଦେଇଥିଲେ।ସୂଚନା ଅନୁଯାୟୀ, ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ବଟନୀ ଏବଂ କଳା ବିଭାଗର ଇତିହାସ ବିଷୟରେ ଅଧ୍ୟାପକ ଅଭାବ ରହିଛି। ଫଳରେ ଛାତ୍ରଛାତ୍ରୀଙ୍କ ନିୟମିତ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ କରି ସେମାନେ ଧାରଣାରେ ବସିଥିଲେ।
ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କୁ ପଚାରିବାରୁ, ବଟନୀ ଓ ଇତିହାସ ବିଭାଗ ପାଇଁ ନୂତନ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିବା ସେ ସୂଚନା ଦେଇଥିଲେ। ଏହାସହ ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ଧାରଣାରୁ ଉଠିଯିବା ପାଇଁ ବୁଝାସୁଝା କରିଥିଲେ।
ଖବର ପାଇ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ସେଠୀ, ଶେଖର ଚନ୍ଦ୍ର ଜେନା, ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ରମ ଓ ବିଡିଓ ମାନସ କୁମାର ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ସହ ଆଲୋଚନା କରିଥିଲେ।ଆଲୋଚନା ପରେ ପ୍ରକାଶିତ ବିଜ୍ଞାପନ ଆଧାରରେ ଆସନ୍ତା ୧୫ ଦିନ ମଧ୍ୟରେ ବଟନୀ ଓ ଇତିହାସ ବିଭାଗରେ ନୂତନ ଅଧ୍ୟାପକ ନିଯୁକ୍ତି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।ପ୍ରଶାସନର ଏହି ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିବା ଦେଖିବାକୁ ମିଳିଥିଲା। ଅଧ୍ୟାପକ ନିଯୁକ୍ତି ପରେ ମହାବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହେବ ବୋଲି ଛାତ୍ରଛାତ୍ରୀମାନେ ଆଶା ପ୍ରକାଶ କରିଛନ୍ତି।