ପୁରୀ: ଦୀର୍ଘ ୧୮ ବର୍ଷ ଧରି ସରକାରୀ ଯୋଜନାର ସଫଳ ରୂପାୟଣରେ କାର୍ଯ୍ୟ କରୁଥିବା ଗାଁ ସାଥି ବା ମେଟ୍ମାନଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ଦରମା ପ୍ରଦାନ ସହ ସାମାଜିକ ସୁରକ୍ଷା ଯୋଗାଇବାକୁ ଦାବି ହୋଇଛି। ଏନେଇ ପୁରୀ ଜିଲ୍ଲା ଗାଁ ସାଥି ମେଟ୍ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁସାରେ, ୨୦୦୮ ମସିହାରୁ ଗାଁ ସାଥିମାନେ ନିଯୁକ୍ତି ପାଇ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଓ ଯୋଜନାର ସଫଳ ରୂପାୟଣରେ ସହଯୋଗ କରିଆସୁଛନ୍ତି। ଦୀର୍ଘ ବର୍ଷ ଧରି ସରକାରୀ ମାନ୍ୟତା ଓ ନିୟମିତ ଦରମା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ସଂଘ ପକ୍ଷରୁ ୨୦୦୮ରୁ ନିଯୁକ୍ତ ଗାଁ ସାଥିମାନଙ୍କୁ ବ୍ଲକ କ୍ୟାଡରରେ ସାମିଲ କରିବା, ଦୀର୍ଘଦିନର ବକେୟା ସେମି-ସ୍କିଲ୍ଡ ପେମେଣ୍ଟ ପ୍ରଦାନ କରିବା ଏବଂ VB-G RAM G ଯୋଜନାରେ NMMS କାର୍ଯ୍ୟ ପାଇଁ ଆଣ୍ଡ୍ରଏଡ୍ ମୋବାଇଲ୍ ଯୋଗାଇବା ଭଳି ଦାବି ମଧ୍ୟ ରହିଛି। ଏହି ସମସ୍ତ ଦାବିକୁ ଯଥାଶୀଘ୍ର ପୂରଣ କରିବାକୁ ପୁରୀ ଜିଲ୍ଲା ଗାଁ ସାଥି ମେଟ୍ ମଜଦୁର ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।
