ପୁରୀ: ମା’ କଟିକିପେଣ୍ଠ ମଶାଣିଚଣ୍ଡୀ ପୀଠର ମନ୍ଦିର ଓ ପାରିପାର୍ଶ୍ୱିକ ପରିବେଶର ଉନ୍ନତିକରଣ ଦାବି କରିଛି ମଶାଣିଚଣ୍ଡୀ ଉନ୍ନୟନ କମିଟି। ଏନେଇ କମିଟି ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାର୍କଣ୍ଡେଶ୍ୱର ସାହି ମୌଜାରେ ଅବସ୍ଥିତ ଏହି ପ୍ରାଚୀନ ପୀଠକୁ ପ୍ରତିଦିନ ଅନେକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ତେବେ ମନ୍ଦିର ପରିସରରେ ଥିବା ମଶାଣିରେ ବର୍ଷା ହେଲେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ଫଳରେ ମୃତଦେହ ପୋତିବାରେ ସମସ୍ୟା ହେବା ସହ ପରିବେଶ ଅସ୍ୱାସ୍ଥ୍ୟକର ହେଉଥିବା କମିଟି ଅଭିଯୋଗ କରିଛି। ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା, ମଶାଣିରେ ନିର୍ଦ୍ଦିଷ୍ଟ ସ୍ଥାନରେ ମୃତଦେହ ସଂସ୍କାର ଓ ସମଗ୍ର ପରିବେଶର ଉନ୍ନତିକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ଆଗକୁ ପାର୍ବଣ ପର୍ବ ଅବସରରେ ମା’ ମଶାଣିଚଣ୍ଡୀଙ୍କ ଯଜ୍ଞ ଓ ଷୋଳପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଏହା ପୂର୍ବରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ କମିଟି ଦାବି କରିଛି। କମିଟି ସଭାପତି ଲିଟୁ ପ୍ରଧାନଙ୍କ ନେତୃତ୍ୱରେ ମନ୍ଦିର ପୂଜକ ଓ ଅନ୍ୟ ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।