ପୁରୀ: ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଗୁରୁ ସ୍ୱର୍ଗତ ଚନ୍ଦ୍ରମଣି ଲେଙ୍କାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପୁରୀ ବଡ଼ଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆୟୋଜିତ ହୋଇଛି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।
ଗୁରୁଙ୍କ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ସ୍ୱର୍ଗତ ଚନ୍ଦ୍ରମଣି ଲେଙ୍କାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୁରୀର ଅବସରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସମାଜସେବୀ ଚକ୍ରଧର ମହାପାତ୍ର ଏବଂ ସ୍ୱର୍ଗତ ଗୁରୁଙ୍କ ଧର୍ମପତ୍ନୀ ସୁଲୋଚନା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ କହିଥିଲେ, ଚନ୍ଦ୍ରମଣି ଲେଙ୍କା ଓଡ଼ିଶୀ ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଥିଲେ। ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ, ଭଜନ ଓ ଜଣାଣର ପ୍ରଚାର-ପ୍ରସାର ପାଇଁ ସେ ଜୀବନବ୍ୟାପୀ ସାଧନା କରିଥିଲେ। ନିଜ ସାଧନା ବଳରେ ସେ ଜଣେ ବିଶିଷ୍ଟ ସଙ୍ଗୀତଗୁରୁ ଭାବେ ପରିଚୟ ହାସଲ କରିବା ସହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନିତ ହୋଇଥିଲେ। ବେତାର ଓ ଦୂରଦର୍ଶନରେ ମଧ୍ୟ ସେ ‘ଏ’ ଗ୍ରେଡ୍ କଳାକାର ଭାବେ ସ୍ୱୀକୃତି ପାଇଥିଲେ।

ସେ ନିଜ ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ଓ ପାରମ୍ପରିକ ସଙ୍ଗୀତର ଶିକ୍ଷା ଦେଇ ଏକ ସୁଦୃଢ଼ ପରମ୍ପରା ଗଢ଼ି ଯାଇଛନ୍ତି। ତାଙ୍କ ଶିଷ୍ୟମାନେ ଆଜି ମଧ୍ୟ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଗୁରୁଙ୍କ ସଙ୍ଗୀତ ପରମ୍ପରାକୁ ଆଗେଇ ନେଉଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ।

ପରେ ଗୁରୁଙ୍କ ଛାତ୍ରଛାତ୍ରୀମାନେ ଓଡ଼ିଶୀ, ଛାନ୍ଦ ଓ ଚମ୍ପୁ ଆଦି ପରିବେଷଣ କରି ସ୍ୱର୍ଗତ ଗୁରୁଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଗୁରୁଙ୍କ ଛାତ୍ର ସୁରେନ୍ଦ୍ର କୁମାର ଦାସ ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ, ସିପ୍ରା ସାହୁ ଓ ଦେବସ୍ମିତା ସାହୁ ସହଯୋଗ କରିଥିଲେ। ଗୁରୁଙ୍କ ଶିଷ୍ୟ ଅଚ୍ୟୁତ ମହାରଣା, ଭଗବାନ ମହାରଣା, ନୀଳମଣି ଅଳକାନନ୍ଦା, ଦେବସ୍ମିତା ଓ ସୁରେନ୍ଦ୍ର କୁମାର ଦାସଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।