ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ କେରଳ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି । ଗତ ମାସ କେରଳ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଥିଲା ଯେଉଁଥିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା । ଶୁକ୍ରବାର ଏହି ମାମଲାର ବିଚାର କରି ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ବିପୁଲ ଏମ ପଂଚୋଲୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି, ସମସ୍ତଙ୍କୁ ମନେ ରଖିବାକୁ ପଡିବ ଯେ, ସବୁଠୁ ଉପରେ ଆମ ସମ୍ବିଧାନ । କୌଣସି ସଂସ୍ଥା, କୌଣସି ସଂଗଠନ, କୌଣସି ବ୍ୟକ୍ତି ବା ରାଜନୈତିକ ଦଳ ସମ୍ବିଧାନ ଉପରେ ନୁହେଁ । ନ୍ୟାୟିକ ସ୍ୱାଧୀନତା କାହାର ରାଜନୈତିକ ସ୍ୱାର୍ଥ ବା ସୁବିଧା ପାଇଁ ନୁହେଁ, ଏହା ଭାରତର ଜନତାଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଗ୍ୟାରେଣ୍ଟି । କୋର୍ଟ ପ୍ରତି ଅବମାନନା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ କୋର୍ଟ ଭାରତର ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମନୀଙ୍କୁ ଏହି ମାମଲାରେ ଜଣେ ଆମିକସ କ୍ୟୁରିଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେରଳ କଂଗ୍ରେସ ବିରୁଦ୍ଧରେ ଫୌଜଦାରୀ ନା ଦେୱାନୀ ମାମଲା ରୁଜୁ କରାଯିବ, ତାହା ଆମିକସ କ୍ୟୁରିଙ୍କ ତର୍ଜମା ପରେ ସ୍ଥିର କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଦିଲ୍ଲୀରେ ଆନ୍ଦୋଳନ କରାଯାଉଥିବା ବେଳେ ଦିଲ୍ଲୀ ପୁଲିସ ଅତ୍ୟଧିକ ବଳପ୍ରୟୋଗ କରିଥିବା ସଂକ୍ରାନ୍ତରେ ଏକ ମାମଲା ସୁପ୍ରିମକୋର୍ଟରେ ଦୟର ହୋଇଥିଲା । ତେବେ ଏହି ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଦେଇଥିବା ଏକ ଟିପ୍ପଣୀ ଉପରେ କେରଳ କଂଗ୍ରେସ ପକ୍ଷରୁ ଏକ ବିବାଦୀୟ ପୋଷ୍ଟ ଜାରି କରାଯାଇଥିଲା । ତେବେ ଏ ନେଇ ବିବାଦ ଦେଖାଦେବାରୁ ପରବର୍ତ୍ତୀ ସମୟରେ ଏହି ପୋଷ୍ଟକୁ ଡିଲିଟ୍ କରିଦିଆଯାଇଥିଲା । କେରଳ କଂଗ୍ରେସର ଏହି ଆପତ୍ତିଜନକ ପୋଷ୍ଟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା ।
