ପାରଳାଖେମୁଣ୍ଡି(ରାଜେନ୍ଦ୍ର କୁମାର ରଥଙ୍କ ରିପୋର୍ଟ):-ବିକଶିତ ଭାରତ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନ୍ତର୍ଗତ ଜନସଭା ଓ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ଘଣ୍ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଗଜପତି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା।ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱର ଭାବନାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପଦଯାତ୍ରାରେ ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତାର ବାର୍ତ୍ତା ଦେଇଥିଲେ।ପରେ ଗଜପତି ଷ୍ଟାଡିୟମ ପରିସରରେ ଏକ ଜନସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ନବକିଶୋର ଶବର, ଜିଲ୍ଲା ସଙ୍ଗଠନ ପ୍ରଭାରୀ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ବିଭାଗ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ କାମଦେବ ବିନାୟକ, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ‘ବିକଶିତ ଭାରତ-୨୦୪୭’ ଗଠନ ପାଇଁ ସାମୂହିକ ସଙ୍କଳ୍ପ ଗ୍ରହଣ ସହ ଜନସେବା, ସାମାଜିକ ଦାୟିତ୍ୱ ଓ ଜନଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ ଶ୍ରୀ ମନୋଜ କୁମାର ଦାସ ଓ ଶ୍ରୀ ବନମାଳୀ ପାତ୍ର ଯୋଗଦେଇ ବିକଶିତ ଭାରତ ଗଠନରେ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ।ସେବା ସଙ୍କଳ୍ପ ଅଭିଯାନ ମାଧ୍ୟମରେ ସମାଜର ସମସ୍ତ ବର୍ଗଙ୍କୁ ସେବା ଓ ବିକାଶର ଧାରାରେ ସାମିଲ କରିବା ସହ ଏକ ସଶକ୍ତ ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।