​ପୁରୀ ସ୍ଥାନୀୟ ସଂସ୍କୃତି ଭବନ ସଭାଗୃହରେ ଛାତ୍ର-ଶିକ୍ଷକ-ଅଭିଭାବକ ସମନ୍ୱୟ ସମିତି ଏବଂ ସମଗ୍ର ଶିକ୍ଷା, ପୁରୀଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ।
​ପ୍ରାରମ୍ଭରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସଂଗୀତ ପରିଷଦର କଣ୍ଠଶିଳ୍ପୀମାନେ ଗୁରୁ ଉର୍ମିଳା ପ୍ରଧାନଙ୍କ ନିର୍ଦ୍ଦେଶନାରେ ବୃନ୍ଦଗାନ ପରିବେଷଣ କରିଥିଲେ। କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଅନାମ ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ‘ସମନ୍ୱୟ’ ଉନ୍ମୋଚିତ ହୋଇଥିଲା।
​ଏହି ସମାରୋହରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ବକ୍ତା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
​ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଅଭିମନ୍ୟୁ ଭୂୟାଁ, ରେଣୁକା ମିଶ୍ର, ପୌର୍ଣ୍ଣମାସୀ ଦେବୀ, ରାଜକୁମାରୀ ଜେମା ଏବଂ ଗୌରାଙ୍ଗ ଚରଣ ଖୁଣ୍ଟିଆଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିବ ସୁନ୍ଦର ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
​ଏହାସହ ଉତ୍ସବରେ ଏକ ମନୋଜ୍ଞ କବିତାପାଠ ଆସର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବହୁ କବି ଓ ସାହିତ୍ୟିକ ସ୍ୱରଚିତ କବିତା ପାଠ କରି ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ