କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଝାଲିଆପଡ଼ା ଗାଁର ଟୁଣିଆ ସାହିରେ ପୋଖରୀରେ ବୁଡ଼ି ଜଣେ ୧୩ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ନରେଶ ମହାନ୍ତ।ସୂଚନା ଅନୁଯାୟୀ, ନରେଶ ତାଙ୍କ ମା’ଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ। ପରେ ମା’ ଓ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।ତେବେ ଲଗାଣ ବର୍ଷା ଯୋଗୁଁ ଗାଁକୁ ଯିବା ରାସ୍ତାରେ ଥିବା ପୋଲ ଭାଙ୍ଗିଯାଇଥିବାରୁ ଆମ୍ବୁଲାନ୍ସ ଗାଁ ନିକଟକୁ ପହଞ୍ଚିପାରିନଥିଲା। ଫଳରେ ନରେଶଙ୍କ ମା’ ତାଙ୍କୁ ଗୁରୁତର ଅବସ୍ଥାରେ କାନ୍ଧରେ ବୋହି କିଛି ଦୂର ନେଇଥିଲେ। ପରେ ବଡ଼ମା ଙ୍କ ସହାୟତାରେ ଖଟିଆରେ ପ୍ରାୟ ୧ କିଲୋମିଟର ଦୂର ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ।ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନରେଶଙ୍କୁ ପାଟଣା ଗୋଷ୍ଠୀ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ନରେଶଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଟୁଣିଆ ସାହି ସମେତ ଝାଲିଆପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।