ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ସେକ୍ସନର ରରୁଆଁ ଗ୍ରାମପଞ୍ଚାୟତ ଝୁମକାପାଳ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ଆହତ ମାଈ ହରିଣର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ହରିଣଟିକୁ ଆହତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ତଦନ୍ତରୁ ହରିଣଟିକୁ ବୁଲା କୁକୁରମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। କୁକୁରଙ୍କ ଆକ୍ରମଣରେ ହରିଣର ପଛ ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।
ଉଦ୍ଧାର ପରେ ହରିଣଟିକୁ ଚିକିତ୍ସା ଯୋଗାଇ ଦିଆଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।ପରେ ବନ ବିଭାଗ ପକ୍ଷରୁ ହରିଣର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ରରୁଆଁ ସେକ୍ସନ ଅଫିସ ପରିସରରେ ହରିଣଟିକୁ ନିୟମାନୁସାରେ ପୋତି ଦିଆଯାଇଥିବା ଜଣାପଡ଼ିଛି।
ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ସହ ମୋରଡାରୁ ଦିଲ୍ଲୀପ କୁମାର ଧଳଙ୍କ ରିପୋର୍ଟ