ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନାଁରେ ବଡ଼ଧରଣର ହେଲଥ୍ କାର୍ଡ ଠକେଇ ଓ ଟଙ୍କା ହରିଲୁଟ୍ ହେଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଗରିବ, ସରଳ ଓ ଅଶିକ୍ଷିତ ଆଦିବାସୀଙ୍କ ସ୍ୱାସ୍ଥ୍ୟ କାର୍ଡକୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ‘ଏନ୍.ଆର୍.ଏମ୍’ (NRM) ନାମକ ଏକ ପ୍ରାଇଭେଟ୍ ମେଡିକାଲର ଗାଡ଼ି ପ୍ରତି ସପ୍ତାହରେ ଦୁଇଥର ମାଲକାନଗିରି ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳକୁ ଆସୁଛି। ସେଠାରୁ ଶହ ଶହ ଗରିବ ଆଦିବାସୀ ଲୋକଙ୍କୁ ଚିକିତ୍ସା ବାହାନାରେ ଆନ୍ଧ୍ରପ୍ରଦେଶ ନିଆଯାଉଛି। ଛୋଟ ଛୋଟ ରୋଗ ପାଇଁ ମଧ୍ୟ ସେମାନଙ୍କ ହେଲଥ୍ କାର୍ଡରୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ କାଟି ହରିଲୁଟ୍ କରାଯାଉଛି। ଏହି ପୁରା ଠକେଇ ସିଣ୍ଡିକେଟ୍ ପଛରେ ଜିଲ୍ଲାର କିଛି ସ୍ଥାନୀୟ ଏଜେଣ୍ଟ ସକ୍ରିୟ ଅଛନ୍ତି, ଯେଉଁମାନେ ରୋଗୀ ଯୋଗାଇ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ମୋଟା ଅଙ୍କର କମିଶନ୍ ହାତାଉଛନ୍ତି।
ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ବିଧାୟକ ଶ୍ରୀ ଖିଲ ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ସୀମାନ୍ତରେ ଯାତାୟାତ କରୁଥିବା ଆନ୍ଧ୍ର ମେଡିକାଲ ଗାଡ଼ିର ପରମିଶନ୍, ରୋଗୀଙ୍କ ଆଧାର କାର୍ଡ, ହେଲଥ୍ କାର୍ଡ ଏବଂ ମେଡିକାଲ ବିଲର ସଠିକ୍ ଓ ନିରପେକ୍ଷ ଯାଞ୍ଚ କରିବା ପାଇଁ ସେ ଦାବି କରିଛନ୍ତି। ଗରିବ ଆଦିବାସୀଙ୍କୁ ଶୋଷଣ କରୁଥିବା ଏହି ଦଲାଲ ଓ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି।
ତେବେ ଏହି ବଡ଼ଧରଣର ସ୍ୱାସ୍ଥ୍ୟ କାର୍ଡ ଠକେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଏହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
