ଚଣ୍ଡିଗଡ଼: ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବଳଦେବ ସିଂହଙ୍କ ନିକଟରୁ ୩ କେଜି ୩୫ ଗ୍ରାମ ହେରୋଇନ୍‌ ସହ ୬ଟି ବନ୍ଧୁକ ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଫିରୋଜପୁର ଏସ୍‌ଏସ୍‌ପି ଭୂପିନ୍ଦର ସିଂହ ସିଧୁଙ୍କ ସୂଚନାନୁଯାୟୀ ବଳଦେବ ନିଶା କାରବାରରେ ସଂଶ୍ଲିଷ୍ଟ ଥିବା ନେଇ ଅଭିଯୋଗ ହୋଇଥିବାରୁ ତାଙ୍କ ଉପରେ ପୁଲିସ ନଜର ରଖିଥିଲା। ସେ ଶୁକ୍ରବାର ବିଳମ୍ବିତ ରାତିରେ ବ୍ୟକ୍ତିଗତ କାର୍‌ରେ ଯାଉଥିବା ବେଳେ ଫିରୋଜଶାହା ଟୋଲ ​‌େ​‌ଗଟ୍‌ ନିକଟରେ ତାଙ୍କୁ ଅକଟାଇ ଯାଞ୍ଚ କରିବାରୁ କାର୍‌ରୁ ୩ କେଜି ହେରୋଇନ ସହ ୬ଟି ବନ୍ଧୁକ ଓ ୬ଟି ମୋବାଇଲ ଜବତ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ସହ ଘାଲ ଖୁର୍ଦ ଥାନାରେ ଏନ୍‌ଡିପିଏସ୍‌ ଓ ଆର୍ମସ୍‌ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ନିଶା ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ବଳଦେବଙ୍କ ସହଯୋଗୀ କିଏ ସେ ନେଇ ପୁଲିସ ତଦନ୍ତ କରୁଛି।