ଭୁବନେଶ୍ବର: ଓଡ଼ିଶା ସରକାର ସର୍ବଦା ମୋଟର ଯାନ ଆଇନର ପ୍ରୟୋଗ କ୍ଷେତ୍ରରେ ଏକ ସମନ୍ୱିତ ଏବଂ ନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ୨୦୨୫ ବର୍ଷର ଆରମ୍ଭରେ ପିୟୁସିସି ନିୟମ କଡ଼ାକଡ଼ି କରିବା, ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକର ଉପଲବ୍ଧତା ଏବଂ ପିୟୁସିସି ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜୋରିମାନା କୁ ନେଇ ଗାଡ଼ି ମାଲିକ, ବିଭିନ୍ନ ସଂଘ ଏବଂ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ରାଜ୍ୟ ସରକାର ଲୋକଙ୍କ ସମସ୍ୟାକୁ ସରକାର କେବେ ବି ଅଣଦେଖା କରିନାହାନ୍ତି। ପିୟୁସିସି ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଯୋଗୁଁ ଜାରି ହେଉଥିବା ଜରିମାନା ରାଶି ହ୍ରାସ କରିବା ପାଇଁ ଦାବି ହେଉଥିଲା। ବାସ୍ତବରେ ୨୦୧୯ ମସିହାରେ ସେତେବେଳର ରାଜ୍ୟ ସରକାର ଏହି ଜରିମାନା ରାଶି ଧାର୍ଯ୍ୟ କରିଥିଲେ। ତେବେ ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ବର୍ତ୍ତମାନ ସରକାର ପିୟୁସିସି ଜରିମାନା ରାଶି ହ୍ରାସ କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ନୂଆ ନିୟମ ଅନୁଯାୟୀ, ମୋଟରସାଇକେଲ/ବାଇକ୍ ଏବଂ ତିନିଚକିଆ ଗାଡ଼ି ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ₹୧,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟରେ ₹୨,୦୦୦ ଜରିମାନା ଦେବାକୁ ପଡ଼ିବ। ସେହିପରି ମୋଟର କ୍ୟାବ୍, ମୋଟର କାର୍/ଜିପ୍ ଏବଂ ଟ୍ରାକ୍ଟର/ଟ୍ରେଲର ପାଇଁ ପ୍ରଥମ ଥର ଉଲ୍ଲଂଘନରେ ₹୨,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟରେ ₹୫,୦୦୦ ଜରିମାନା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ଶ୍ରେଣୀଭୁକ୍ତ ହୋଇନଥିବା ପରିବହନ ଗାଡ଼ି ଏବଂ ଅନ୍ୟାନ୍ୟ ସମସ୍ତ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ₹୩,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟରେ ₹୬,୦୦୦ ଜରିମାନା ଦେବାକୁ ହେବ। ସରକାରଙ୍କ ଏହି ନିଷ୍ପତ୍ତି ଲୋକମାନଙ୍କ ଦାବିକୁ ବିଚାର କରି ନିଆଯାଇଛି। ତେଣୁ ସମସ୍ତେ ମୋଟର ଯାନ ଆଇନ ଅନୁଯାୟୀ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହ ପ୍ରଦୂଷଣ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଗାଡ଼ିର ବୀମା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଅପ୍-ଟୁ-ଡେଟ୍ ରଖିବା ପାଇଁ ସରକାର ଅନୁରୋଧ କରୁଛନ୍ତି।
ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛି ଦିନ ପାଇଁ କୋହଳ କରାଯାଇଥିଲା ଏବଂ ସରକାରୀ ଘୋଷଣା ଅନୁଯାୟୀ ଏହି କୋହଳ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଏହାପରେ ମଧ୍ୟ ପ୍ରଦୂଷଣ ଓ ବୀମା ଭଳି ବିଷୟ ଉପରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ତୁରନ୍ତ ବ୍ୟାପକ କରାଯାଇନଥିଲା। ତଥାପି ମୋଟର ଯାନ ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର ଅପଡେଟ୍ ରଖିବା ଏକ ବାଧ୍ୟତାମୂଳକ ବ୍ୟବସ୍ଥା ଏବଂ ଆଇନର ପରିସରଭୁକ୍ତ।
ଏହାସତ୍ତ୍ୱେ ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟର ଆବଶ୍ୟକତା ରହିଛି। ମୋଟର ଯାନ ଆଇନର ସଠିକ୍ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ବ୍ୟାପକ ଏନଫୋର୍ସମେଣ୍ଟ ଓ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
