ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଜନ୍ମାଷ୍ଟମୀର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ପରମ୍ପରା ଓ ଶାସ୍ତ୍ରୀୟ ବିଧି ଅନୁସାରେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ବିଭିନ୍ନ ସ୍ୱତନ୍ତ୍ର ନୀତି। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମ ନୀତି ପରେ ମହାସ୍ନାନ, ବିଶେଷ ପୂଜା ଓ ଜେଉଡ଼ ଭୋଗ ଲାଗି କରାଯିବ।
ସନାତନ ହିନ୍ଦୁ ଧର୍ମର ଏକ ପ୍ରମୁଖ ଓ ପବିତ୍ର ପର୍ବ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ଏହି ପର୍ବର ରହିଛି ସ୍ୱତନ୍ତ୍ର ସ୍ଥାନ।
ପାଣି ପଡ଼ି ଟେରା ବନ୍ଧାଯାଇ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହୁଏ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋପଖାଳ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଏ।
ଏହାପରେ ଅଣସର ପିଣ୍ଡିଠାରେ ଜେଉଡ଼ ଭୋଗ ରଖାଯାଏ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି।
ତିନିଜଣ ପୂଜାପଣ୍ଡା ପଞ୍ଚଉପଚାରରେ ପୂଜା କରିବା ପରେ ପାଣି ପଡ଼ି ଧୋପଖାଳ ହୁଏ। ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ବାଡ଼ରେ ହେଉଥିବା ଅଧୂକ ବନ୍ଦାପନାକୁ ‘ଗର୍ଭଉଦକ ବନ୍ଦାପନା’ କୁହାଯାଏ।
ଜନ୍ମାଷ୍ଟମୀ ଦିନ ସନ୍ଧ୍ୟା ଧୂପ ଓ ଶୋଧ ନୀତି ପରେ ଜନ୍ମ ଚକଡ଼ାକୁ ପବିତ୍ର କରାଯାଏ। ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଜନ୍ମ ଚକଡ଼ା ନିକଟରେ ଗର୍ଭାଧାନ ନୀତି ସମ୍ପନ୍ନ ହୁଏ। ଏହାପରେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ରତ୍ନସିଂହାସନରୁ ଜନ୍ମ ଚକଡ଼ାକୁ ବିଜେ କରାଯାଏ।
ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ ହୁଏ। ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମର ପୌରାଣିକ ପରମ୍ପରାକୁ ନୀତିକାନ୍ତି ମାଧ୍ୟମରେ ସ୍ମରଣ କରାଯାଏ।
ଜନ୍ମ ନୀତି ପରେ ଠାକୁରଙ୍କ ମହାସ୍ନାନ, ନୂତନ ବସ୍ତ୍ର ଓ ଅଳଙ୍କାର ଲାଗି କରାଯାଏ। ପରେ ପଞ୍ଚାମୃତ ମହାସ୍ନାନ ସହ ବିଶେଷ ଶୀତଳ ଭୋଗ ଅର୍ପଣ କରାଯାଏ। ଜନ୍ମ ମଣ୍ଡପରେ ଜେଉଡ଼ ଭୋଗ ଲାଗି ମଧ୍ୟ ଏହି ଉତ୍ସବର ଏକ ପ୍ରମୁଖ ଅଂଶ।
ଶ୍ରୀମନ୍ଦିରର ଏହି ଗୁପ୍ତ ଓ ପାରମ୍ପରିକ ନୀତିକାନ୍ତିକୁ ନେଇ ଭକ୍ତଙ୍କ ମନରେ ରହିଛି ଗଭୀର ଶ୍ରଦ୍ଧା।