ପୁରୀ: ସ୍ଥାନୀୟ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରାତଃ ୯ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋବିନ୍ଦଜୀ ଗୌଡ଼ୀୟ ମଠର ମଠାଧୀଶ ଶ୍ରୀପାଦ ସନାତନ ଦାସ ମହାରାଜ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ଶ୍ରୀପାଦ ସଚ୍ଚିଦାନନ୍ଦ ମହାରାଜ ଏବଂ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷା ଶ୍ରୀମତୀ ମମତା ରାଣୀ ସାହୁଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।
ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ରତ୍ନାକର ମହାପାତ୍ର ଶ୍ରୀକୃଷ୍ଣ ଜନ୍ମ ସମ୍ବନ୍ଧୀୟ ଭାଗବତ ପଠନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଓ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ଉପରେ ପ୍ରବଚନ ପ୍ରଦାନ କରିଥିଲେ।
ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା କୁନି କୁନି ଶିଶୁଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ମେଳା। ଅନେକ ଶିଶୁ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟ ପରିସର ସହ ନିକଟସ୍ଥ ସାହିରେ ପରିଭ୍ରମଣ କରିଥିଲେ। ଶଙ୍ଖ, ଘଣ୍ଟ ଓ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କୁ ସୁସଜ୍ଜିତ ଦୋଳିରେ ଝୁଲାଇ ଗୁରୁମା ଓ ଅଭିଭାବିକାମାନେ ଉତ୍ସବର ଆନନ୍ଦ ନେଇଥିଲେ। ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ଯଜ୍ଞାଦି କାର୍ଯ୍ୟକୁ ବିଦ୍ୟାଳୟର ଖିତିଶ ଦାସ ଗୁରୁଜୀ ପରିଚାଳନା କରିଥିଲେ।
ଏହାସହ କୁନି ରାଧାକୃଷ୍ଣଙ୍କ ଆରତି, ବନ୍ଦାପନା ଓ ଲବଣି ସେବନ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଭୋଗ ଓ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା।
