କଟକ: କଟକର ଟାଙ୍ଗି ସ୍ଥିତ ଓରୀକ୍ଲିନ ଡିଟରଜେଣ୍ଟ ପାଉଡର କମ୍ପାନୀରେ କାର୍ଯ୍ୟରତ ୨୧୪ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରାଯାଇଥିଲା ଏହାର ପ୍ରତିବାଦରେ ଶ୍ରମିକ ମାନେ କମ୍ପାନୀର ଫାଟକ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ। ଗତକାଲି ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ଆଜି କଟକ ଜିଲ୍ଲାପାଳଙ୍କ ବାସ ଭବନରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ବେଳେ କଟକ ଉପ ଜିଲ୍ଲାପାଳ, କଟକ ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ଓରିକ୍ଲିନ କମ୍ପାନୀର ମାଲିକ, ପୋଲିସ ଅଧିକାରୀ, ଭାରତୀୟ ମଜଦୂର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, ରାଜ୍ୟ ଉପ ସଭପତି ଶାନ୍ତନୁ କୁମାର ମହାପାତ୍ର, ଓରିକ୍ଲିନ ଶ୍ରମିକ ସଂଘର ସଭାପତି ଚିତ୍ତ ରଞ୍ଜନ ସାମଲ, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିବା ସହିତ ଆଜି ଠାରୁ ଶ୍ରମିକ ମାନେ ଯୋଗଦାନ କରିବେ। ଉକ୍ତ କମ୍ପାନୀର ମାଲିକ ପୂର୍ବ ପରି ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ସହ ଶ୍ରମ ଆଇନ ମୁତାବକ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)