କଟକ: କଟକର ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଆଦିବାସୀ ସଂସ୍କୃତିର ବର୍ଷୀୟାନ ଗବେଷକ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ଚଳିତବର୍ଷ ପ୍ରଦାନ କରାଯିବ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ । ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ‘ରୁଚି’ର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରଥମ ଡ. ଶରତ କୁମାର ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ ବିଶିଷ୍ଟ ଉଦ୍ୟୋଗପତି ତଥା ସାଂସଦ ଦିଲ୍ଲୀପ ରାୟଙ୍କୁ । ସଂଗୀତ ଗାୟନ କ୍ଷେତ୍ରରେ ଗାୟିକା ତଥା ଚଳିତବର୍ଷର ଇଣ୍ଡିଆନ ଆଇଡ଼ଲ ବିଜୟିନୀ ବିଶିଷ୍ଟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ପ୍ରଦାନ କରାଯିବ ରୁଚି ଦେଶ ଜ୍ୟୋତି ସମ୍ମାନରେ । ଓଡ଼ିଶାରେ ଜୈବିକ କୃଷିର ବିକାଶ ଏବଂ ପରିବେଶର ସୁରକ୍ଷା ପାଇଁ ସମର୍ପିତା ଜନସେବୀ ସାବରମତୀଙ୍କୁ ରୁଚି ସେବା ଜ୍ୟୋତି ସମ୍ମାନ, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଭାରତୀୟ ମହିଳା ହକିର ପ୍ରାକ୍ତନ ଉପ ଅଧିନାୟିକା ଅଲମ୍ପିଆନ୍ ଦୀପ୍ ଗ୍ରେସ୍ ଏକ୍ଟାଙ୍କୁ ପ୍ରଦାନ କରାଯିବ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ । ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା । ଟପ୍ସର ହୋଇଥିବା ସାତ୍ତ୍ୱିକ ସତ୍ୟକାମ ଦେବତାଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ ଏବଂ ରାଜ୍ୟର ମାଟ୍ରିକ ଟପ୍ପର ଦୁଇ କୃତିବିଦ୍ୟାର୍ଥୀ ଆଶୁତୋଷ ନାୟକ ଏବଂ ପାର୍ଥସାରଥୀ ମହାନ୍ତଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ ।ଏହି ସମାରୋହ ହରେ ଭାରତୀୟ ସେନାବାହିନୀର ପୂର୍ବତନ ସହ-ସେନାଧ୍ଯକ୍ଷ ତଥା ନୂଆଦିଲ୍ଲୀସ୍ଥିତ ସଶସ୍ତ୍ରବାହିନୀ ନ୍ୟାୟାଧୀକରଣର ପ୍ରଶାସନିକ ସଦସ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଉଦ୍ଘାଟକ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟଅତିଥି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରୁଚିର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ, ମହେନ୍ଦ୍ର ଷଡ଼ଙ୍ଗୀ, ଶୁଭେନ୍ଦୁ ଭୂୟାଁ, ଉଲ୍ଲାସ ବେହୁରା, ଦେବଦତ୍ତ ସା ଓ ରାଜେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ ସୂଚନା ପ୍ରଦାନ କରିଥିଲେ।
