ଭୁବନେଶ୍ବର: କୋଟି‌େ‌କାଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଥିବା ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜିପିଆଇଏଲ୍‌) ଏବଂ ଏହାର ସହସଂସ୍ଥାଗୁଡ଼ିକ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ପଶ୍ଚିମବଙ୍ଗ ଓ ଓଡ଼ିଶାର ମୋଟ ୯ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ତଦନ୍ତ ସମୟରେ ବିଭିନ୍ନ ଆପତ୍ତିଜନକ କାଗଜପତ୍ର, ଡିଭାଇସ୍ ଏବଂ ଦସ୍ତାବିଜ୍‌ ଜବତ କରାଯାଇଛି। ଜିପିଆଇଏଲ୍‌ ସହ ସମ୍ପୃକ୍ତ ୧୩୯ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ସେୟାରଗୁଡ଼ିକୁ ଫ୍ରିଜ୍‌ କରାଯାଇଛି। ଏହାବ୍ୟତୀତ, ୩ଟି ଦାମୀ କାର୍‌ (୨ଟି ମର୍ସିଡିଜ୍ ଏବଂ ୧ଟି ବିଏମ୍‌ଡବ୍ଲୁ) ମଧ୍ୟ ଜବତ ହୋଇଛି।

ସିବିଆଇ ଦ୍ୱାରା ରୁଜୁ ମାମଲା ଆଧାରରେ ଇଡି ଏହି ତଦନ୍ତ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗରେ ପଞ୍ଜୀକୃତ ଜିପିଆଇଏଲ୍‌ର ଶାଖା ଅଫିସ୍‌ ଭୁବନେଶ୍ୱରରେ ରହିଛି। ଏହି କମ୍ପାନୀ କେବୁଲ୍, କଣ୍ଡକ୍ଟର, ତାର ଆଦି ସାମଗ୍ରୀ ତିଆରି ଓ ଯୋଗାଇଥାଏ। କମ୍ପାନୀ ଏକ ବ୍ୟାଙ୍କରୁ ପ୍ରାୟ ୩,୫୯୦ କୋଟି ଟଙ୍କାର ଋଣ ନେଇଥିଲା। ଏଥିମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କରୁ ପ୍ରାୟ ୧,୧୭୪ କୋଟି ଋଣ ନେଇଥିଲା। ୨୦୧୮ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ କମ୍ପାନୀ ବ୍ୟାଙ୍କକୁ ମିଥ୍ୟା ଓ ଅଧିକ ଷ୍ଟକ୍ ଦେଖାଇ ନିଜର ଋଣ ନେବା କ୍ଷମତା ବୃଦ୍ଧି କରି ଏହି ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଡିଟ୍ ରିପୋର୍ଟରୁ ଉଜାଗର ହୋଇଥିବା ଏହି ଅନିୟମିତତା ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। କମ୍ପାନୀ ନିଜର ବାସ୍ତବ ଆର୍ଥିକ ସ୍ଥିତିକୁ ଲୁଚାଇ ବ୍ୟାଙ୍କରୁ ଅଧିକ ଋଣ ହାସଲ କରିବା ପାଇଁ ଆର୍ଥିକ ବିବରଣୀରେ ଜାଲିଆତି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।