ପୁରୀ- ଶ୍ରୀକ୍ଷେତ୍ରର କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଲକ୍ଷ୍ୟରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ୪୭ତମ କୁମାର ଉତ୍ସବ ଆୟୋଜନ କରାଯାଉଛି। ଆସନ୍ତା ଅକ୍ଟୋବର ୨୫ ଓ ୨୬ ତାରିଖରେ ସ୍ୱର୍ଣ୍ଣାଭ ବେଳାଭୂମିରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସ୍ଥାନୀୟ ପୌରସଦନ ଭବନରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଶନିବାର ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ବିଚାରକମାନଙ୍କୁ ମଧ୍ୟ ସାଂସଦ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ପ୍ରଥମ ଦିନରେ ଗଣିତ ଦୌଡ଼, ବାଟି ଚାମଚ, ଚିତ୍ରାଙ୍କନ, ଏକକ ଆଧୁନିକ ନୃତ୍ୟ, ଦଳଗତ ନୃତ୍ୟ ଓ ବେଲୁନ ଫୁଟା ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଦ୍ୱିତୀୟ ଦିନରେ ଶିଶୁମାନଙ୍କୁ ନେଇ ମିନି ମାରାଥନ୍ ଆୟୋଜିତ ହେବ। ଏହାକୁ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଲିଟିଲ୍ ମିସ୍, ଲିଟିଲ୍ ମାଷ୍ଟର, ଭଏସ୍ ଅଫ୍ କୁମାର ଉତ୍ସବ, ମେହେନ୍ଦି ଓ ପେପର କ୍ରାଫ୍ଟ ପ୍ରତିଯୋଗିତା ହେବ। କୃତୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୨୫ ଓ ୨୬ ତାରିଖରେ ସ୍ବର୍ଣ୍ଣାଭ ବେଳାଭୂମି ଆୟୋଜିତ ହେବାକୁ ଥିବା ମୁଖ୍ୟ ଉତ୍ସରେ ପୁରସ୍କୃତ କରାଯିବ।ଅନୁଷ୍ଠାନର ସଭାପତି ଡା. ତାପନ ଚାନ୍ଦ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଶତପଥୀ ଓ କ୍ରୀଡ଼ା ସମ୍ପାଦକ ଗୋପୀନାଥ ସ୍ୱାଇଁ , କ୍ରୀଡ଼ା ସହ ସମ୍ପାଦକ ଅରୁଣ ଭଟାଚାର୍ୟ୍ଯ ଓ ରାଜୀବ ସତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।
