ପୁରୀ – ଓଡ଼ିଶା ବିଦ୍ୟୁତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃନିଯୁକ୍ତି ଓ ସର୍ବନିମ୍ନ ମଜୁରି ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା
ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଦ୍ୟୁତ ବିତରଣ ବ୍ୟବସ୍ଥାର ସୁଚାରୁ ପରିଚାଳନା, ବିଦ୍ୟୁତ ତ୍ରୁଟିର ମରାମତି ଓ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇବାରେ ଏହି ଶ୍ରମିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବର୍ଷା, ବାତ୍ୟା, ପ୍ରବଳ ଗ୍ରୀଷ୍ମଓ ରାତିଦିନ ବିଭିନ୍ନ ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ସେବା ସ୍ଵାଭାବିକ ରଖୁବା ପାଇଁ କାର୍ଯ୍ୟ କରୁଛନ୍ତି। ଟେଣ୍ଡର ଓ ଏଜେନ୍ସି ପରିବର୍ତ୍ତନ ଆଳରେ ଅଭିଜ୍ଞ ଶ୍ରମିକମାନଙ୍କ ଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲିହୋଇଯାଉଥ‌ିବା ଅଭିଯୋଗ କରିଛନ୍ତି। ଦାବି ମାନଙ୍କ ମଧ୍ଯରେ ବିଦ୍ୟୁତ ଠିକା ଶ୍ରମିକଙ୍କ ଅନ୍ୟାୟ ପୂର୍ବ ଛଟେଇ ତୁରନ୍ତ ବନ୍ଦ କରିବା , କାର୍ଯ୍ୟରୁ ବାଦ୍ ପଡିଥ‌ିବା ଅଭିଜ୍ଞ ସିସିଏ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଭିଭିରେ ପୁନଃ ନିଯୁକ୍ତି ଦେବା, ମିଟର ରିଡର୍ ଓ ବିଲ୍ କଲେକ୍ଟର ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉ। ମଞ୍ଚର ଅଭିଯୋଗ ଅନୁଯାୟୀ, କେତେକ କ୍ଷେତ୍ରରେ ମାସିକ ମାତ୍ର ୪ ହଜାର ରୁ ୫ ହଜାର ଟଙ୍କା ମଜୁରି ମିଳୁଛି। ଏହାର ତଦନ୍ତ କରିନିୟମାନୁଯାୟୀ ମଜୁରି ଓ ବକେୟା ପାରିଶ୍ରମିକ ପ୍ରଦାନ କରାଯାଉ । ଗତ ମେ ମାସରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଶ୍ବାସନା ର କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଉ। ଶ୍ରମିକଙ୍କ ଚାକିରି ସୁରକ୍ଷା, ଉପଭୋକ୍ତାଙ୍କ ସ୍ବାର୍ଥ ଓ ବିଦ୍ୟୁତ ସେବାର ଗୁଣବତ୍ତାକୁ ଦୃଷ୍ଟିରେ ରଖ୍ ଓଡ଼ିଶାରେ ଟାଟା ପାୱାରକୁପ୍ରଦର ବିଦ୍ୟୁତ ବିତରଣ ଲାଇସେନ୍ସ ସମ୍ପର୍କରେ ପୁନଃ ବିଚାର କରାଯାଉ। ଶ୍ରମିକ ପ୍ରତିନିଧ‌ିଙ୍କ ସହ ମର୍ଯ୍ୟାଦା ପୂର୍ବ ଆଲୋଚନା ଓ ଅଭିଯୋଗର ନିରପେକ୍ଷ ସମାଧାନ ପାଇଁ ବ୍ୟବସ୍ଥା କରାଯାଉ। ଅଭିଜ୍ଞ ଶ୍ରମିକଙ୍କୁ ହଠାତ୍ ବାଦ୍ ଦେବା ଯୋଗୁଁ ବିଦ୍ୟୁତ ବିତରଣ, ରକ୍ଷଣାବେକ୍ଷଣ ଓ ଉପଭୋକ୍ତା ସେବା ପ୍ରଭାବିତ ନହେବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ।ଅକ୍ଟୋବର ୧୫ରେ ମିଳିତ ମଞ୍ଚ ପକ୍ଷରୁ ଗୋଲାପ ଫୁଲ ଧରି ଭୁବନେଶ୍ଵର ଠାରେ ଶାନ୍ତିପୂର୍ଣ୍ଣ ମହା ସମାବେଶ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ମିଳିତ ମଞ୍ଚର ଆବାହକ ଶ୍ରୀକାନ୍ତ ପରିଜା, ନୃସିଂହ ଦାସ, ଏସ.କେ ଆଜାଦ, ମନୋଜ ରାଉତ, ବସନ୍ତ ପଲେଇ, ଦୁଃଶାସନ ସାହୁ, କିଶୋର ଦାସ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ବିଦ୍ୟୁତ ଠିକା କର୍ମଚାରୀ ମୋଚି ସାହି ଛକରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।